ଏଏଫ୍ଏଲ୍‌ସିର ଅଭିନବ ପ୍ରୟାସ ‘ସଭିଙ୍କ ପାଇଁ ଆର୍ଥିକ ଡିଜିଟାଲ୍ ସାକ୍ଷରତା’

“୨୦୨୦ ମସିହା ବେଳକୁ ଭାରତରେ ସମସ୍ତ ଆର୍ଥିକ କାରବାର ଡିଜିଟାଲ ମାଧ୍ୟମରେ କରିବା ଓ ଜନସାଧାରଣଙ୍କୁ ଏହାର ବିଭିନ୍ନ ଦିଗ ସହିତ ପରିଚିତ କରି ନଗଦରାଶି କାରବାର କମ୍ କରିବା ହେଉଛି ଡିଜିଟାଲ୍ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିର ମୂଳ ଲକ୍ଷ୍ୟ। ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଏହି ସ୍ୱପ୍ନ ପୂରଣ କରିବା ପାଇଁ ଏବଂ ଦେଶବ୍ୟାପୀ ମୋବାଇଲ୍‌‍ଭିତ୍ତିକ କାରବାରକୁ ଉତ୍ସାହିତ କରିବା ନିମନ୍ତେ ବୈଷୟିକ ଜ୍ଞାନକୌଶଳ ପ୍ରଦାନ ସହ ଅଗ୍ରଣୀ ଭୂମିକା ଗ୍ରହଣ କରିଛି”, ଏନ୍‌ପିସିଆଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଅଭୟ ପ୍ରସାଦ ହୋତା ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ କରିଛନ୍ତି ।

ଅଭ୍ୟୁତ୍‌ଥାନ ଫାଇନାନ୍ସିଆଲ ଲର୍ଣ୍ଣିଂ ସେଂଟର (ଏଏଫ୍ଏଲ୍‌ସି) ଆନୁକୂଲ୍ୟରେ ସୋମବାର ଦିନ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ସମସ୍ତଙ୍କ ପାଇଁ ଡିଜିଟାଲ୍ ଆର୍ଥିକ ସାକ୍ଷରତା’ ଆୟୋଜିତ ହୋଇଯାଇଛି। ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର ଭାବରେ ସହଯୋଗ କରିଥିଲା ।

ଏହି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ହୋତା ଆହୁରି ମଧ୍ୟ କହିଥିଲେ ଯେ ଗତ ବର୍ଷ ବିମୁଦ୍ରାକରଣ ପରେ, ଏବେ ଦୈନନ୍ଦିନ ଜୀବନରେ ଡିଜିଟାଲ୍ କାରବାରକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଦୃତ କରିବା ଦିଗରେ ଦେଶ ଆଗକୁ ବଢ଼ୁଛି। ଜନଧନ ଆକାଉଣ୍ଟ ସହିତ ରୂପେ କାର୍ଡ, ଆଧାରଭିତ୍ତିକ ପୈଠ ପ୍ରଣାଳୀ ଏବଂ ମୋବାଇଲ୍ ବ୍ୟାଙ୍କିଂ ଏବେ କେନ୍ଦ୍ର ସରକାର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ମନ୍ତ୍ର ପାଲଟିଛି। ଏନ୍‌ସିପିଆଇ ମଧ୍ୟ ଦେଶବ୍ୟାପୀ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସରତ ।

ଏହି ଅବସରରେ ଏଏଫ୍ଏଲ୍‌ସିର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦାଶରଥୀ ମିଶ୍ର କହିଛନ୍ତି ଯେ “ଆମେ ଆର୍ଥିକ ସାକ୍ଷରତାର ପ୍ରସାର କ୍ଷେତ୍ରରେ ଓଡ଼ିଶା ବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଯୁବପିଢ଼ି ଏବଂ ଗଣମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଉଛୁ। ଲୋକଙ୍କୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ କାରବାରରେ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ ଏବଂ ମୋବାଇଲ୍‌ଭିତ୍ତିକ ଟେକ୍ନୋଲୋଜି ବ୍ୟବହାରର ଲାଭ ବିଷୟରେ ସଚେତନ କରୁଛୁ।”

ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ଅରବିନ୍ଦ ବେହେରା ଜନସାଧାରଣଙ୍କୁ ଅଧିକରୁ ଅଧିକ ଡିଜିଟାଲ କାରବାର ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ।

ଓଡ଼ିଶା ଲାଇଭ୍ର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ନୀଳାମ୍ବର ରଥ ଏହି ଆଲୋଚନାଚକ୍ରରେ ଯୋଗଦେଇ କହିଥିଲେ ଯେ, “ଅନ୍ୟାନ୍ୟ ଗଣମାଧ୍ୟମ ସହ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଡିଜିଟାଲ୍ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଅଧିକ ସୁଫଳ ମିଳିପାରିବ। ଏହି ପ୍ରୟାସ ସୋସିଆଲ୍ ମିଡିଆ ମାଧ୍ୟମରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିବ ।

ଏହି ଅବସରରେ ଏଏଫ୍ଏଲ୍‌ସି ସ୍ମରଣିକା ୨୦୧୭ ପ୍ରକାଶିତ ହେବା ସହ ଏଏଫଏଲ୍‌ସିର ନୂତନ ୱେବ୍‌ସାଇଟ୍ www.aflcfinlit.org ଉନ୍ମୋଚନ ହୋଇଥିଲା ଏବଂ ଅଭ୍ୟୁତ୍‌ଥାନ ସ୍କୁଲ୍ ଅଫ୍ ଫାଇନାନ୍ସିଆଲ୍ ଇନକ୍ଲୁଜନ, ରିସର୍ଚ୍ଚ ଆଣ୍ଡ ଏଜୁକେସନର ଶୁଭାରମ୍ଭ ମଧ୍ୟ ଘୋଷଣା କରାଯାଇଥିଲା।

ଏହି ଆଲୋଚନାଚକ୍ରରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଡିକେ ଜେନା, ଏକ୍ସଆଇଏମ୍‌ବିର ପ୍ରଫେସର ଡିଭି ରମଣା, ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ ଶ୍ରୀ କେ ଆର୍ ଦାସ ଓ ଶିଲାଦିତ୍ୟ ଚୈାଧୁରି ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବ୍ୟାଙ୍କ,  ବୀମା କମ୍ପାନୀ, ଏମ୍ଏଫ୍ଆଇ, ଏମ୍ଏସଏମ୍ଇ ସେକ୍ଟର, ବ୍ୟାଙ୍କିଙ୍ଗ ନିୟାମକ ଏବଂ ସରକାରୀ ଅଧିକାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

0 replies

Leave a Reply

Want to join the discussion?
Feel free to contribute!

Leave a Reply

Your email address will not be published. Required fields are marked *