ରାଜ୍ୟରେ ସାଧାରଣ ଜନତାଙ୍କ ମଧ୍ୟରେ ଆର୍ଥିକ-ସାକ୍ଷରତା ବୃଦ୍ଧି ଓ ଡିଜିଟାଲ୍‌ ବ୍ୟାଙ୍କିଂ କ୍ଷେତ୍ରରେ ସଚେତନତା ଲାଗି ଓଡ଼ିଶା ଫିନାନ୍‌ସିଆଲ୍‌ ଲିଟେରେସି ଫୋରମ୍‍ ପକ୍ଷରୁ କର୍ମଶାଳା

ଭୁବନେଶ୍ୱର, ୨୧ ଜାନୁୟାରି ୨୦୧୭: ସାଧାରଣ ଜନତାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇବା ସହ ଅଧିକରୁ ଅଧିକ ଲୋକ କ୍ୟାସ୍‌ଲେସ୍‌ କାରବାର ପାଇଁ ଆଗେଇ ଆସିବା ଦରକାର। ଆଜିର ପରିବର୍ତ୍ତିତ ସମାଜରେ ଡିଜିଟାଲ୍‌ ମାଧ୍ୟମ ସହଯୋଗରେ ଆର୍ଥିକ କାରବାର କ୍ଷେତ୍ରରେ ଯେଉଁ ବୈପ୍ଲବିକ ଧାରା ଆସିଛି ସାଧାରଣ ଲୋକ ସେଥିରେ ସାମିଲ୍‌ ହେବା ଜରୁରୀ ବୋଲି ଅଭ୍ୟୁତ୍‌ଥାନ ଫିନାନ୍‌ସିଆଲ୍‌ ଲର୍ଣ୍ଣିଂ ସେଣ୍ଟର ପକ୍ଷରୁ ଏଠାରେ ଆୟୋଜିତ କର୍ମଶାଳାରେ ବକ୍ତାମାନେ କହିଛନ୍ତି।

ଅଭ୍ୟୁତ୍‌ଥାନ ଅନୁଷ୍ଠାନର ପ୍ରମୁଖ ଅଙ୍ଗ ଓଡ଼ିଶା ଫିନାନ୍‌ସିଆଲ୍‌ ଲିଟେରେସି ଫୋରମ୍‌ ପକ୍ଷରୁ ଆୟୋଜିତ ବାର୍ଷିକ କର୍ମଶାଳାରେ ଯୋଗଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି-ଗଭର୍ଣ୍ଣର ଏଚ୍‌ ଆର୍‌ ଖାନ୍‍ କହିଥିଲେ ଯେ ଉଭୟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ‌ ପକ୍ଷରୁ କ୍ୟାସ୍‌ଲେସ୍‌ ତଥା ଡିଜିଟାଲ୍‌ ବ୍ୟାଙ୍କିଂର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ କିଭଳି ଭାବରେ ଦେଶରେ ଆର୍ଥିକ ନେଣଦେଣକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଜନହିତକାରୀ କରାଯାଇପାରିବ, ଏ ବାବଦରେ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ବିଶେଷ ଅଧ୍ୟୟନ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଇନ୍‌ଷ୍ଟିଟ୍ୟୁଟ୍‌ ଫର୍‌ ଡେଭେଲପ୍‌ମେଣ୍ଟ ଆଣ୍ଡ ବ୍ୟାଙ୍କିଙ୍ଗ ଟେକ୍ନୋଲଜିର ନିର୍ଦ୍ଦେଶକ ଡକ୍ଟର ଏ ଏସ୍‌ ରାମଶାସ୍ତ୍ରୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ପି. କ୍ରିଷ୍ଣମୂର୍ତ୍ତି, ମ୍ୟାନେଜ୍‌ମେଣ୍ଟ ଗୁରୁ ଏବଂ ଦୋହା ବ୍ୟାଙ୍କ୍‍ ନିର୍ଦ୍ଦେଶକ ଡକ୍ଟର କେ ସି ମିଶ୍ର, ନାବାର୍ଡର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍‌ କେ ମିତ୍ର, ପୁଣେସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନ୍ୟତମ ସଂସ୍ଥାନ ସିଏବିର ଅଧ୍ୟକ୍ଷ ପି କେ ପଣ୍ଡା, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଆର୍‌ ଏନ୍‌ ଦାଶ ଏବଂ ବ୍ୟାଙ୍କିଂ ଓମ୍ବୁଡ୍ସମ୍ୟାନ୍‍ ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇ ଆର୍ଥିକ ସାକ୍ଷରତା ଓ ଅତ୍ୟାଧୁନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ବିଭିନ୍ନ ବ୍ୟାଙ୍କ, ବୀମା କମ୍ପାନି, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ, ଏମ୍‌ଏସ୍‌ଏମ୍‌ଇ, ବ୍ୟାଙ୍କିଙ୍ଗ ନିୟାମକ ସଂସ୍ଥା ଆଦି ସହ ସରକାରୀ ଅଧିକାରୀ ଏବଂ ବିଭିନ୍ନ ବିଜ୍‌ନେସ୍‌ ସ୍କୁଲ୍‌ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସାଧାରଣ ଲୋକଙ୍କ ଭିତରେ ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତି ସହିତ ଖାଉଟି ସୁରକ୍ଷା ଓ ବିଭିନ୍ନ ପ୍ରକାର ଅଭିଯୋଗ ପରିଚାଳନା କ୍ଷେତ୍ରରେ ସଚେତନତା ସୃଷ୍ଟି ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଅଭ୍ୟୁତ୍‌ଥାନର ପରିଚାଳନା ସହଭାଗୀ ଦାଶରଥୀ ମିଶ୍ର ସୂଚନା ଦେଇଛନ୍ତି।

 

0 replies

Leave a Reply

Want to join the discussion?
Feel free to contribute!

Leave a Reply

Your email address will not be published. Required fields are marked *